ନେତାଜୀ ସୁଭାଷ ବୋଷଙ୍କ ଶୈକ୍ଷିକ ଓ ସାମାଜିକ ଅନୁଚିନ୍ତା
ଡକ୍ଟର ନାରାୟଣ ବାରିକ୍
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମତରେ ଭାରତରେ ଛାତ୍ରମାନେ ଯଦି ରାଜନୀତିରେ ଅଂଶଗ୍ରହଣ ନ କରିବେ ଏ ଦେଶର ନେତୃତ୍ୱ ନେବ କିଏ? ଏ ଦେଶର ନେତା ସୃଷ୍ଟି ହେବେ କିପରି? ପ୍ରାକ୍-ସ୍ୱାଧୀନତା ସମୟରେ ବୟସ୍କମାନଙ୍କ ଉପରେ ଯୁବ ସମାଜ ଆସ୍ଥା ପ୍ରକଟ କରି ପାରୁନଥିଲେ । ଦେଶପାଇଁ ସେମାନେ ଯଥେଷ୍ଟ ପ୍ରତିଶ୍ରୁତିବଦ୍ଧ ଏବଂ ସେଥିପାଇଁ ସମୟର ଆହ୍ୱାନକୁ ସମ୍ମୁଖୀନ ହେବାକୁ କେବେ ପଶ୍ଚାତ୍ପଦ ହେଉନଥିଲେ । ସବୁ ଦକ୍ଷତା, ଗୁଣବତ୍ତା ଓ ଆତ୍ମୋତ୍ସର୍ଗ କରି ଆଗାମୀ ପିଢ଼ି ପାଇଁ ଏକ ନୂତନ ଭାରତର ସ୍ୱପ୍ନ ହିଁ କେବଳ ଯୁବକମାନେ ହିଁ ଦେଖି ପାରିବେ ସିନା ବୟସ ଅତିକ୍ରାନ୍ତ ମଣିଷର ସେ ଜୁ’ ଆସିବ କେଉଁଠୁ? କାରଣ ଆଗାମୀ ଭାରତ ହିଁ ହେବ ଯୁବଗୋଷ୍ଠୀର ଭାରତ । ଦେଶଗଠନରେ ଛାତ୍ରମାନଙ୍କର ଭୂମିକା ସର୍ବାଦୌ ଅଗ୍ରଗଣ୍ୟ । ଦେଶର ଯେକୌଣସି ସମସ୍ୟାକୁ ନେଇ ଯଦି ପୁଙ୍ଖାନୁପୁଙ୍ଖ ବିଶ୍ୱେଷଣ କରାଯାଏ, ତୃଣମୂଳସ୍ତରରେ ସେହି ରାଜନୈତିକ ଅସ୍ଥିରତା ହିଁ କାୟାବିସ୍ତାର କରିଥିବାର ପ୍ରତ୍ୟୟ ହୁଏ । ତେଣୁ ଶିକ୍ଷାଠାରୁ ରାଜନୀତିକୁ ବିଚ୍ଛିନ୍ନ କରିହେବ ନାହିଁ । ଜାତୀୟସ୍ତରରେ ବିଭିନ୍ନ ସାମାଜିକ ଦିଗଗୁଡ଼ିକ ଗୋଟିଏ ସୂତ୍ରରେ ହିଁ ବନ୍ଧା । ଜାତୀୟ ଜୀବନ ଏକ ସମନ୍ୱିତ ଜୀବନଧାରାର ଉତ୍ସ । ମାନବ ସମାଜର ପ୍ରଗତି ଓ ପ୍ରବାହକୁ ବହୁଧା ବିଭକ୍ତ କରି ଭିନ୍ନଭିନ୍ନ କୋଠରୀରେ ଆବଦ୍ଧ କରିବା ଆମ ଜାତୀୟ ଚରିତ୍ରର ଲକ୍ଷ୍ୟଣ ନୁହେଁ । ଏହି ପରିପ୍ରେକ୍ଷୀରେ ଦେଶଗଠନରେ ବିରୋଧାଭାଷ ତଥା ତିକ୍ତତା ଭାବର ଉଦ୍ଗମନ ଯେ ରାଜନୈତିକ ବିଦ୍ୱେଷଭାବ ତଥା ଅସଂଗତି ଚିନ୍ତନ ଏହା ସୁସ୍ପଷ୍ଟ । ତେବେ ସେଥିପାଇଁ ନିଜର ବଳୟ ଭିତରେ ଉପୁଜୁଥିବା ରାଜନୈତିକ ଅସ୍ଥିରତାକୁ ଅନ୍ଧଭାବେ ସମର୍ଥନ କରି ଛାତ୍ର ସମାଜ ସବୁକଥାକୁ ଗ୍ରହଣ କରିନେଇ ଏକ ସୁସ୍ଥ ସମାଜର ଗଠନ ବିଶ୍ୱାସକୁ ସ୍ୱୀକାର କରିପାରିବନି । ପୃଥିବୀରେ ଏମିତି କୌଣସି ସ୍ୱାଧୀନ ରାଷ୍ଟ୍ର ନାହିଁ ଯେଉଁଠାରେ ଜାତୀୟ ପ୍ରଗତି କ୍ଷେତ୍ରରେ ଛାତ୍ର ସମାଜର ଭୂମିକାକୁ ଅସ୍ୱୀକାର କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜନୀତି ଓ ଛାତ୍ରମାନଙ୍କର ସମ୍ପୃକ୍ତି ଅଙ୍ଗାଙ୍ଗୀଭାବେ ଜଡ଼ିତ । ନେତାଜୀଙ୍କ ମତରେ ଉତ୍ସାହୀ ଯୁବ ସମାଜ ଆସନ୍ତାକାଲିର ରାଷ୍ଟ୍ରନୀତିଜ୍ଞମାନଙ୍କର ଭୂମିକାରେ ଅବତୀର୍ଣ୍ଣ ହୋଇ ଦେଶର ରାଜନୈତିକ ଚିନ୍ତା ଓ ଚେତନାର କର୍ଣ୍ଣଧାର ସାଜି ଏକ ନୂତନ ଭାରତର ସ୍ୱପ୍ନ ଦେଖିବାକୁ ସମର୍ଥ ।
ପାରମ୍ପାରିକ ଜାତିଭିତ୍ତିକ ସମାଜ ବଦଳରେ ନୂତନ ଗ୍ରାମ୍ୟ ଗୋଷ୍ଠୀର ଅଭ୍ୟୁଦାୟକୁ ସ୍ୱୀକାର କରିବା ସହ ନେତାଜୀ ଏକ ଅତ୍ୟାଧୁନିକ ଓ ସମାଜବାଦୀ ରାଷ୍ଟ୍ର ନିର୍ମାଣରେ ବିଶ୍ୱାସୀଥିଲେ; ଯେଉଁଠାରେ ସମସ୍ତେ ରାଜନୈତିକ ତଥା ଅର୍ଥନୈତିକ ସ୍ୱାଧୀନତାର ସ୍ୱାଦ ଚାଖିପାରିବେ । ତାଙ୍କର ଚିନ୍ତାଧାରା ଥିଲା ଯେ କୌଣସି ଦୁର୍ଘଟଣାବଶତଃ ମୁନୁଷ୍ୟ ହୁଏତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଭେଦରେ କୌଣସି ପରିବାରରେ ଜନ୍ମଗ୍ରହଣ କରି ପାରେ, ମାତ୍ର ସମାଜରେ ଅନ୍ୟମାନଙ୍କ ପରି ସେ ସମସ୍ତ ପ୍ରକାରର ସୁଖ, ସୁବିଧା ଉପଭୋଗ କରିବାକୁ ହକ୍ଦାର । ସାମ୍ପ୍ରଦାୟିକ ଭେଦଭାବ ଓ ଆର୍ଥିକସ୍ଥିତି ପରିପ୍ରେକ୍ଷୀରେ ମନୁଷ୍ୟମନୁଷ୍ୟ ମଧ୍ୟରେ ଅସମାଞ୍ଜସ୍ୟ ଓ ଅସମାନତା ସମୀଚୀନ ନୁହେଁ । ଦେଶର ଆଶୁ ପ୍ରଗତି ପାଇଁ ଗଣତନ୍ତ୍ରର ଭିତ୍ତିଭୂମି ସୁଦୃଢ଼ ହେବା ଆବଶ୍ୟକ । ସର୍ବୋପରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ଓ ସମସ୍ତେ ସମାନ ସୁବିଧା ସୁଯୋଗର ଅଧିକାରୀହେବା ବାଞ୍ଛନୀୟ । ତେଣୁ ନେତାଜୀଙ୍କ ମତରେ ସ୍ୱାଧୀନତା କହିଲେ ରାଜନୈତିକ ସ୍ୱତନ୍ତ୍ରତା ନୁହେଁ ବରଂ ଜାତିଗତ ବୈଷମ୍ୟତା, ସାମାଜିକ ଅସମାନତା, ସାମ୍ପ୍ରଦାୟିକ ମନୋବୃତ୍ତି, ଧର୍ମାନୁମୋଦିତ ଚିନ୍ତାଧାରା, ଅର୍ଥନୈତିକ ସ୍ୱେଚ୍ଛାଚାରିତାକୁ ପରିହାର କରି ଏକ ସମନ୍ୱିତ ଓ ସମୁଚ୍ଚୟ ସମାଜର ପରିକଳ୍ପନା କରିବା । ତାଙ୍କ ମତରେ ସମାଜରେ ବିତ୍ତଶାଳୀ, ଉଚ୍ଚଶ୍ରେଣୀ ସମ୍ପନ୍ନ ତଥା ଅଧିକ ସମ୍ପତ୍ତି ଉପଭୋକ୍ତାମାନଙ୍କର ଚରାଭୂମି ହେବାକୁ ଦିଆଯିବ ନାହିଁ । ସ୍ୱାଧୀନ ଭାରତ ହିଁ ଏକ ସୁଦୃଢ଼ ସାମାଜିକ ଏବଂ ରାଜନୈତିକ ପୃଷ୍ଠଭୂମି ଉପରେ ଏକ ଗଣତାନ୍ତ୍ରିକ ବିଧିବିଧାନରେ ଅନୁବର୍ତ୍ତୀ ଆବଶ୍ୟକ; ଯେଉଁଠାରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମାନତାକୁ ପ୍ରତ୍ୟେକ ନାଗରିକ ଉପଭୋଗ କରିବାକୁ ସହଜରେ ସମର୍ଥ ହୋଇ ପାରୁଥିବେ ।
ନେତାଜୀ ବିଶ୍ୱାସ କରୁଥିଲେ ସମଜାର ଉନ୍ନତି ଶିକ୍ଷା ବିନା ଅସମ୍ଭବ । ତେଣୁ ଶିକ୍ଷା କ୍ଷେତ୍ରରେ ସେ ଶିଶୁର ବ୍ୟକ୍ତିତ୍ୱ ଗଠନକୁ ଅଗ୍ରାଧିକାର ଦେଉଥିଲେ । ତାଙ୍କ ମତରେ ଏକ ପୂର୍ଣ୍ଣାଙ୍ଗ ମନୁଷ୍ୟ ଗଠନ ହିଁ ଶିକ୍ଷାର ଉଦ୍ଦେଶ୍ୟ ହେବା ଉଚିତ । ଶିକ୍ଷା ଆନ୍ତର୍ନିିହିତ ଶୃଙ୍ଖଳା ବର୍ଦ୍ଧନ କରିବା ସହ ଆମର ମନ ଓ ଚିନ୍ତନକୁ ନିୟନ୍ତ୍ରଣ କରି ସୁଚାରୁରୂପେ ଏକ ସୁଗମପଥରେ ପରିଚାଳିତ କରିଥାଏ । ଏହି ଶୃଙ୍ଖଳାବୋଧ ହିଁ ବ୍ୟକ୍ତିର ବାହ୍ୟିକ କାର୍ଯ୍ୟକଳାପକୁ ପରିମିତଭାବେ ରୂପାୟିତ କରିବାରେ ସମର୍ଥ ହୋଇଥାଏ । ସ୍ୱାମୀ ବିବେକାନନ୍ଦଙ୍କ ମତରେ “ ଶିକ୍ଷା ହେଉଛି; ମନୁଷ୍ୟର ମାନସିକ ଜଗତର ପରିପୂର୍ତ୍ତିର ପରିପ୍ରକାଶ ମାତ୍ର । ନେତାଜୀ ନିଜର ଆଧ୍ୟାତ୍ମିକ ଗୁରୁ ବିବେକାନନ୍ଦଙ୍କର ଏହି ମହତ୍ବାଣୀ ଉପରେ ନିଜର ଶୈକ୍ଷିକ ଦର୍ଶନକୁ ଅତିଚମତ୍କାର ଭାବେରେ ଅଧିଷ୍ଠିତ କରିଛନ୍ତି । ପୃଥିବୀରେ ଜ୍ଞାନ, ଧର୍ମ ନିରପେକ୍ଷତା ଓ ଆଧ୍ୟାତ୍ମିକ ଚିନ୍ତର ମୂଳ ଉତ୍ସ ହିଁ ମାନବର ଆତ୍ମା । ଶିକ୍ଷା ହିଁ ପୁଞ୍ଜିଭୂତ ଜ୍ଞାନର ଗନ୍ତାଘର ଯାହା ମାନସିକ ଜଗତକୁ ସଚେତନ କରାଇ ଜାଗ୍ରତ ଓ ପରିପୃଷ୍ଟି କରିଥାଏ । ସର୍ବୋପରି ଶିକ୍ଷା ହିଁ ମନୁଷ୍ୟର ଚରିତ୍ର, ନୈତିକତା ବୋଧ ସ୍ୱାଧୀନ ଚେତନାକୁ ଅଙ୍କୁରିତ କରିବାରେ ଏକମାତ୍ର ନିୟାମକ ।
ନେତାଜୀ ଭାରତରେ ପ୍ରାଥମିକ ଶିକ୍ଷାର ପ୍ରସାର ପାଇଁ ଜର୍ମାନୀ ଏବଂ ସ୍କାଣ୍ଡିନେଭିଆର କିଣ୍ଡର୍ ଗାର୍ଟନ ପଦ୍ଧତି, ଇଂଲଣ୍ଡର ନର୍ସରୀ ସ୍କୁଲ ଏବଂ ଫ୍ରାନସର “ଇକ୍ଲୋସ ମ୍ୟାଟର ନେଲାସ” ଶିକ୍ଷା ପଦ୍ଧତିକୁ ଗୁରୁତ୍ୱ ପ୍ରଦାନ କରୁଥିଲେ । ‘ଇକୋଲସ ମ୍ୟାଟର ନେଲାସ’ ପଦ୍ଧତି କହିଲେ କିଣ୍ଡର୍ ଗାର୍ଟନ ପଦ୍ଧତି ଶିକ୍ଷାକୁ ବୁଝାଏ । ଫ୍ରାନ୍ସର ଶିକ୍ଷା ପଦ୍ଧତି ପୃଥିବୀର ସବୁ ଉନ୍ନତ ଦେଶଠାରୁ ଶ୍ରେଷ୍ଠ । ଫ୍ରାନସରେ ୬ରୁ୧୬ ବର୍ଷ ପିଲାଙ୍କ ପାଇଁ ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଫ୍ରେଞ୍ଚର ଇକୋଲ ମ୍ୟାଟର ନେଲାରେ ୨ରୁ୬ ବର୍ଷ ପର୍ଯ୍ୟନ୍ତ ପିଲା ପଢ଼ନ୍ତି ଓ ତା ପରେ ପ୍ରାଥମିକ ବିଦ୍ୟାଳୟକୁ ଯାଇଥାନ୍ତି । ଏହା “ପ୍ଲେ ସ୍କୁଲ”ଠାରୁ ଉନ୍ନତ, କାରଣ ଏହାର ପାଠ୍ୟକ୍ରମରେ ପଠନ, ଲିଖନ, ଗଣନ ଏବଂ ବିଦେଶୀ ଭାଷା ଶିକ୍ଷା, କଳାତ୍ମକ ଓ ସୃଜନାତ୍ମକ କାର୍ଯ୍ୟାବଳୀକୁ ସ୍ଥାନ ଦିଆଯାଇଥାଏ । “ଇକୋଲ୍ ମ୍ୟାଟରନେଲା” (କିଣ୍ଡର୍ ଗାର୍ଟନ)ରେ ଲେସ୍ ପେଟିଟସ, ଲେସ୍ ମଏନସ୍, ଲେସ୍ ଗ୍ରାଣ୍ଡମ୍ ଇତ୍ୟାଦି ତନୋଟି ଶ୍ରେଣୀଥାଏ । ନର୍ସରୀ ପୂର୍ବରୁ ଫ୍ରାନ୍ସରେ ପବ୍ଲିକ ଏବଂ ପ୍ରାଇଭେଟ ନର୍ସରୀ ରହିଛି । ଯାହାକୁ “କ୍ରେଚ୍ସ” କହନ୍ତି । ଏହି ‘ଡେ କେୟାର ସେଣ୍ଟରଗୁଡ଼ିକରେ ୨ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ପିଲାଙ୍କର ଯତ୍ନ ନିଆଯାଏ ଓ ଏହାପରେ ଏମାନେ “ଇକୋଲ ମ୍ୟାଟରନେଲା” ବିଦ୍ୟାଳୟକୁ ଯାଇଥାନ୍ତି । ନେତଜୀ ସୋଭିଏତ୍ ରୁଷ (ଇୟୁ.ଏସ୍.ଏସ୍.ଆର୍) ପରି ଶିକ୍ଷା ଆମ ଦେଶରେ ପ୍ରଚଳନ ହେବାକୁ ଚାହୁଁଥିଲେ । ଏକ ମାନବବାଦୀ ଓ ସମାଜତନ୍ତ୍ର ଶିକ୍ଷାଭାବରେ ସମସ୍ତଙ୍କ ପାଇଁ ପ୍ରାଥମିକ ବ୍ୟବସ୍ଥା ହେବା ଦରକାର ବୋଲି ସୁଭାଷ ବୋଷ ସତତ ପ୍ରାଧାନ୍ୟ ଦେଉଥିଲେ । ଏତଦ୍ବ୍ୟତୀତ ରୋମାନ୍ ଲିପି ଏବଂ ହିନ୍ତସ୍ଥାନୀ ଲିପିକୁ ଗୁରୁତ୍ୱ ଦେଇ ଦେଶରେ ଏକ ସାଧାରଣ ଶିକ୍ଷାନୀତି ପ୍ରଚଳନକୁ ନେତାଜୀ ସର୍ବଦା ଗୁରୁତ୍ୱ ପ୍ରଦାନ କରିଥିଲେ । ନେତାଜୀ ମଧ୍ୟ ଜନ୍ ଷ୍ଟୁଆର୍ଟ ମିଲଙ୍କ ଗଣତନ୍ତ୍ରଭିତ୍ତିକ ସାର୍ବଜନୀନ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ପଦ୍ଧତିକୁ ସ୍ୱୀକୃତି ପ୍ରଦାନ କରିଥିଲେ । ସେ ମଧ୍ୟ ପ୍ରତିଭାଶାଳୀ ପିଲାମାନଙ୍କର ଉଚ୍ଚାକାଂକ୍ଷାକୁ ପୂରଣ କରିବା ପାଇଁ ଉଚ୍ଚଶିକ୍ଷାକୁ ସହଜସୁଗମ କରିବାର ପଥ ପରିଷ୍କାର କରିବାରେ ସମର୍ଥ ହୋଇଥିଲେ ।
ଏହି ପ୍ରତ୍ୟୁତ୍ପନମତି ଏବଂ ମହାନ ଜନନାୟକ ଓଡ଼ିଶାର କଟକରେ ୧୮୯୭ ଜାନୁୟାରୀ ୨୩ରେ ଜନ୍ମଗ୍ରହଣ କରି ୧୯୪୫ ଅଗଷ୍ଟ ୧୮ରେ ସ୍ୱର୍ଗାରୋହଣ କରିଥିଲେ । ରାମକୃଷ୍ଣ, ବିବେକାନନ୍ଦ ଏବଂ ଅରବିନ୍ଦଙ୍କବାଣୀ ଓ ଦର୍ଶନଦ୍ୱାରା ଅନୁପ୍ରାଣିତ ହୋଇ ସୁଭାଷ ପରେ ଚିତ୍ତରଞ୍ଜନ ଦାସ, ଲେନିନ ଏବଂ ଗାରିବାଲିଡ୍ଙ୍କ ପରି ସର୍ବଭାରତୀୟ ଏବଂ ବିଶ୍ୱସ୍ତରୀୟ ନେତାଙ୍କ ପ୍ରେରଣାରେ ଉଦ୍ବୁଦ୍ଧ ହୋଇ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଭାରତର ଜାତୀୟ ଆନ୍ଦୋଳନର ମୁଖ୍ୟ ସାରଥିଭାବେ ନେତୃତ୍ତ୍ୱ ନେଇ ନେତାଜୀ ସୁଭାଷ ବୋଷ ସ୍ୱତଃ ନିଜର ସାମର୍ଥ୍ୟର ଯେଉଁ ମହାନତା ଓ ପରାକାଷ୍ଠା ପ୍ରଦର୍ଶନ କରି ଯାଇଛନ୍ତି, ଆଜି ସେ ସମଗ୍ର ଭାରତବାସୀଙ୍କ ନିକଟରେ ଜଣେ ଉଚ୍ଚକୋଟୀର, ଧୀମାନ, ଅପ୍ରତିଦ୍ୱନ୍ଦ୍ୱୀ ଓ ମହାନ ନେତାଭବେ ଚିର ସ୍ମରଣୀୟ ଓ ଚିର ବନ୍ଦନୀୟ ।
ସାଧାରଣ ସମ୍ପାଦକ
ଅଲ୍ଇଣ୍ଡିଆ ଏଜୁକେଶନ ସୋସାଇଟ୍
୮, ରୟାଲଗାର୍ଡନ, ଆଇଗିଣିଆ,
ଭୁବନେଶ୍ୱର-୧୯
ଯୋଗାଯୋଗ: ୯୮୫୩୧୭୨୦୩୮