କଅଁଳିଆ ସଂଜେ(ଶରତ ଚନ୍ଦ୍ର ପାତ୍ର,ଲିଙ୍ଗରାଜ ଥାନାଧିକାରୀ)
ଦେଖିଛି ତମକୁ କଅଁଳିଆ ସଂଜେ
ସଂଜବତୀ ଜାଳୁଥିଲ
ଚଉଁରା ପାଖକୁ ଲାଜେଇ ଲାଜେଇ
ହସିଦେଇ ଚାଲିଗଲି
ସେ ହସରେ ଥିଲା ଏତେ ମାଦକତା
ଏଯାଏ ପାରୁନି ଭୁଲି
ତାର କାଉଁରୀ ପରଶୁ ଜାଣିଲି
ପ୍ରେମ ଏତେ ମିଠା ବୋଲି
ଅଙ୍ଗ ଶୋଭା ତୁମ ଝରା ସେଫାଳିର
ଅପସରା ବନ୍ଦୁ ଥାଏ
ଜହ୍ନ ରାତିର ପ୍ରଣୟିନୀ ଆଗେ
ରୁପବତୀ ନଦୀ ଟିଏ
ମେଘର ମହ୍ଲାର ପକ୍ଷୀର କାକକୀ
ତମେ ମୋର ସନ୍ଧ୍ୟା ତାରା
ତମେ ମୋର ଜୀବନ ପ୍ରମର ପ୍ରଦୀପ
ତମେ ନିର୍ବିକଳ୍ପ ଧାରା
ତମେ ତ ନଥିଲେ ନିଶବ୍ଦ ଶୂନ୍ୟତା
ପ୍ରତିଧ୍ୱନି କରେ ସୃଷ୍ଟି
ଜଣା ପଡେ ନାହିଁ ନିର୍ମେଘ ଆକାଶେ
ମେଘ କାହୁଁ ଆସେ ଘୋଟି
ଜୀବନ ଆକାଶେ ସନ୍ଧ୍ୟା ତାରା ତୁମେ
ସବୁ ଦିନ ଆସ ଉଇଁ
ଜୋଛନା କିରଣେ ସାଗରିକା ମୋର
ମନକୁ ମୋ ଯାଅ ଛୁୁଇଁ
