କରୋନା କରିଦେଲା କାଙ୍ଗାଳ: ଟିଭି, ଫ୍ରିଜ୍‌ ବିକି ଘରଭଡ଼ା ଦେଉଛନ୍ତି କିନ୍ନର,

ନୂଆଦିଲ୍ଲୀ:- ମାର୍ଚ୍ଚରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ଆମ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ବିବାହ, ପିଲାଜନ୍ମ ଓ ଅନ୍ୟାନ୍ୟ ପର୍ବରେ ଆମେ ଲୋକଙ୍କ ଘରକୁ ଯାଇ ସେମାନଙ୍କର ମଙ୍ଗଳ କାମନା କରୁଥିଲୁ । କିଛି ରୋଜଗାର ହୋଇଯାଉଥିଲା । ଏବେ କରୋନା କାଳରେ ଲୋକମାନେ ଘରେ ପୂରାଇ ଦେଉନାହାନ୍ତି । ଆମ ଭିତରେ କିଛି ଯୌନକର୍ମୀ ବି ରହିଛନ୍ତି । କିନ୍ତୁ ସାମାଜିକ ଦୂରତା ନିୟମ ପାଇଁ ସେମାନେ ବି ଖାଲି ବସିଛନ୍ତି । ଏବେ ଦୁଇବେଳା ଖାଦ୍ୟ ଯୋଗାଡ଼ କରିବା ମୁସ୍କିଲ ହୋଇପଡୁଛି । ଦିଲ୍ଲୀରେ ରହୁଥିବା କିନ୍ନର ସମୁଦାୟର ନିରବୈର କୌର ଏଭଳି କହିଛନ୍ତି ।
ସେ ଆହୁରି କହିଛନ୍ତି, ଘରଭଡ଼ା ଦେବା ପାଇଁ ଟଙ୍କା ନ ଥିବାରୁ ଟିଭି, ଫ୍ରିଜ, ମୋବାଇଲ ଆଦି ବିକ୍ରି କରିବାକୁ ପଡ଼ିଛି । ଏବେ ପାଖରେ ଟଙ୍କା ନ ଥିବାରୁ ଦୁଇଓଳି ଦୁଇମୁଠା ଖାଇବା ମୁସ୍କିଲ ହୋଇପଡ଼ୁଛି । ରବିବାର ନଜଫଗଡ଼ ବଜାର ଯାଇ କିଛି ଅର୍ଥ ରୋଜଗାର କରିବାକୁ ଭାବିଥିଲି । ଦିନସାରା ବୁଲିବା ପରେ ୨୯୦ ଟଙ୍କା ମିଳିଥିଲା । ଜୀବନରେ ଏତେ ଖରାପ ଦିନ ଆମେ ପୂର୍ବରୁ କଦାପି ଦେଖି ନ ଥିଲୁ ।

୨୦୧୧ ଜନଗଣନା ମୁତାବକ ଦେଶରେ ୪ ଲକ୍ଷ ୮୦ ହଜାର କିନ୍ନର ଅଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ ନିର୍ବାଚନ କମିଶନରେ ମାତ୍ର ୩୦ ହଜାର ପଞ୍ଜୀକୃତ ଅଛନ୍ତି । କିନ୍ନରଙ୍କ ପାଇଁ କାମ କରୁଥିବା ଏନ୍‌ଜିଓ ମୁତାବକ ଏବେ ଏମାନଙ୍କ ସଂଖ୍ୟା ୨୦ ଲକ୍ଷଠାରୁ ଅଧିକ ରହିଛି ।

୨୦୧୮ରେ ଜାତୀୟ ମାନବାଧିକାର କମିଶନ କିନ୍ନରଙ୍କ ଉପରେ ଏକ ଅଧ୍ୟୟନ କରିଥିଲା । କିନ୍ନରଙ୍କ ଅଧିକାରକୁ ଠିକ୍‌ ଭାବେ ନ୍ୟାୟ ଦିଆଯାଉ ନ ଥିବା ଜଣାପଡ଼ିଥିଲା । ସେମାନେ ନିଜକୁ ସବୁବେଳେ ଭିନ୍ନ ଅନୁଭବ କରୁଛନ୍ତି । ଘରେ, ସମ୍ପ୍ରଦାୟରେ ଏବଂ ପ୍ରତିଷ୍ଠାନରେ ସେମାନଙ୍କୁ ସାମାଜିକ ଓ ଲିଙ୍ଗଗତ ବୈଷମ୍ୟରେ ବଞ୍ଚିବାକୁ ପଡୁଛି । ଏବେ ଲକ୍‌ଡାଉନ୍‌ ଏମାନଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଛି ।

ହମ୍‌ସଫର ଟ୍ରଷ୍ଟ ଜରିଆରେ କିନ୍ନରଙ୍କୁ ସାହାଯ୍ୟ କରୁଥିବା ସୌମ୍ୟା ଗୁପ୍ତା (କିନ୍ନର) କୁହନ୍ତି, ମାର୍ଚ୍ଚରେ ଲକ୍‌ଡାଉନ୍‌ ଲାଗୁ ପରେ କିଛି ଦିନ ପରେ ସରକାର ଏପ୍ରିଲରେ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ । କିନ୍ତୁ ଏହି ସହାୟତା ୬ରୁ ୭୦୦୦ କିନ୍ନରଙ୍କୁ ମିଳିଥିଲା । ଅନ୍ୟମାନଙ୍କ ସମସ୍ୟା ବଢ଼ିବାକୁ ଲାଗିଥିଲା ।

ସୌମ୍ୟାଙ୍କ ମୁତାବକ ପଶ୍ଚିମବଙ୍ଗ, ତେଲଙ୍ଗାନା, ମଣିପୁର ଭଳି କିଛି ରାଜ୍ୟରେ କିନ୍ନରଙ୍କ ପାଇଁ ପୃଥକ୍‌ କୋଭିଡ୍‌ ବେଡ୍‌ ବ୍ୟବସ୍ଥା କରାଯାଇଛି । କିନ୍ତୁ ସବୁଠାରେ ଏଭଳି କରାଯାଇ ନାହିଁ । ସବୁ ହସ୍ପିଟାଲରେ ଗୋଟିଏ ୱାର୍ଡ କିନ୍ନରଙ୍କ ପାଇଁ ସଂରକ୍ଷିତ ରଖାଯିବା ଉଚିତ ଥିଲା ।

Leave a Reply

Your email address will not be published. Required fields are marked *