ବିଦେଶୀ ଚାନ୍ଦା ସଂଗ୍ରହ ଆଇନରେ ହେବ ସଂଶୋଧନ, NGO ପଞ୍ଜିକରଣ ଲାଗି ଆଧାର ହେବ ଜରୁରି

ନୂଆଦିଲ୍ଲୀ:-ଭାରତ ସରକାର ବିଦେଶୀ ଅଂଶଦାନ (ନିୟମତଃ) ଆଇନ (ଏଫସିଆରଏ) ସଂଶୋଧନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସଂସଦର ଚଳିତ ଅଧିବେଶନରେ ହୁଏତ ଏଫସିଆରଏ ଆମେଣ୍ଡମେଣ୍ଟ ବିଲ୍-୨୦୨୦ ଲୋକସଭାରେ ଉପସ୍ଥାପିତ ହୋଇପାରେ। ଏଥିରେ ଯେ କୌଣସି ଅଣ ସରକାରୀ ସଙ୍ଗଠନ(ଏନଜିଓ) ଅଥବା ଆସୋସିଏସନକୁ ତାର ଏଫସିଆରଏ ପ୍ରମାଣପତ୍ର ଫେରସ୍ତ ଲାଗି ମଞ୍ଜୁରି ଦେବାର ବ୍ୟବସ୍ଥା ରହିବ।

ସେହିପରି ଏଫସିଆରଏ ମାଧ୍ୟମରେ ସଙ୍ଗଠନମାନଙ୍କୁ ମିଳୁଥିବା ବୈଦେଶିକ ଅନୁଦାନର ୨୦ ପ୍ରତିଶତ  ସେମାନଙ୍କ ପ୍ରଶାସନିକ ବ୍ୟୟ କରିପାରିବେ। ହେଲେ ଏପର୍ଯ୍ୟନ୍ତ ଥିବା ବ୍ୟବସ୍ଥାରେ ସଂସ୍ଥାମାନେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟୟ କରିପାରୁଛନ୍ତି। ବ୍ୟକ୍ତି, ସଂସ୍ଥା ଅଥବା କମ୍ପାନୀଙ୍କ ଲାଗି  ବିଦେଶୀ ଚାନ୍ଦା ନିମନ୍ତେ ୨୦୧୦ ମସିହାରେ ଆଇନର ସଂଶୋଧନ ହୋଇଥିଲା। ୧୦ ବର୍ଷ ମଧ୍ୟରେ ଏହି ଆଇନ ୨ ଥର ସଂଶୋଧନ ହୋଇଥିବା ବେଳେ ଏଥିରେ ଏବେ ସରକାର ତୃତୀୟ ସଂଶୋଧନ କରିବାକୁ ଯାଉଛନ୍ତି।

ତେବେ ଏଥର ହେବାକୁ ଯାଉଥିବା ସଂଶୋଧନରେ ବିଦେଶୀ ଚାନ୍ଦାର ଉପଯୋଗକୁ ଅଧିକ ପାରଦର୍ଶି ଓ ଉତ୍ତରଦାୟି କରାଯିବ।  ଏଥିଲାଗି ପ୍ରସ୍ତୁତ ଚିଠାପ୍ରସ୍ତାବରେ ପୂର୍ବ ଅନୁମତି ଅଥବା ଲାଇସେନ୍ସ ନବିକରଣ ଓ ପଞ୍ଜିକରଣ ଲାଗି ଅନୁଷ୍ଠାନ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କ ଆଧାର ନମ୍ବର ଦେବା  ଜରୁରି  ହେବ।  ଯଦି ବିଦେଶୀ ନାଗରିକ ଏପରି ଅନୁଷ୍ଠାନ ପରିଚାଳନା କରୁଥାନ୍ତି ଏଥିଲାଗି ତାଙ୍କୁ ପାସପୋର୍ଟ ଏବଂ ଓସିଆଇ କାର୍ଡର ନକଲ ଦେବାକୁ ପଡିବ।

ସେହିପରି କୌଣସି ସରକାରୀ ଅନୁଷ୍ଠାନ, ବିଭାଗ ଓ ଅଧିକାରୀ ଏପରି ବିଦେଶୀ ଚାନ୍ଦା ଆଦାୟ ଲାଗି ଏବେ ଅଧିକୃତ ହେବେ ନାହିଁ। ଏଫସିଆରଏ ପଞ୍ଜିକୃତ ଏନଜିଓ ଓ ସଙ୍ଗଠନମାନେ ୨୦୧୬-୧୭ ଓ ୨୦୧୮-୧୯ରେ ମୋଟ ୫୮ ହଜାର କୋଟି ଟଙ୍କାର ବିଦେଶୀ ପାଣ୍ଠି ଉଠାଇଛନ୍ତି। ଏହି ସମୟରେ ଦେଶରେ ୨୨ ହଜାର ୪୦୦ ଏନଜିଏ କାର୍ଯ୍ୟରତ ଅଛନ୍ତି।

Leave a Reply

Your email address will not be published. Required fields are marked *