ବାତ୍ୟା ଆଶଙ୍କାରେ ମୁକାବିଲା ପ୍ରସ୍ତୁତି, ୧୨ଜିଲ୍ଲାକୁ ଆର୍ଲଟ୍, ୪ଜିଲ୍ଲା ହୋଇପାରେ ଅଧିକ କ୍ଷତିଗ୍ରସ୍ତ
ଭୁବନେଶ୍ବର:-ସମ୍ଭାବ୍ୟ ବାତ୍ୟା ନେଇ ମୁକାବିଲା ନେଇ ଏସ୍ଆରସି ପ୍ରେସମିଟରେ ସୂଚନା ଦେଇଛନ୍ତି ।। ଏସଆରସି କହିଛନ୍ତି ଯେ, ଆଇଏମ୍ଡିର ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନ୍ ସମୁଦ୍ର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଆଜି ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
୧୬ ତାରିଖ ସଂଧ୍ୟା ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି । ୧୭ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ମଧ୍ୟ ଅଧିକ। ୧୭ ତାରିଖ ପର୍ଯ୍ୟନ୍ତ ଏହା ବଙ୍ଗୋପସାଗର ଭିତରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାପରେ ରିକର୍ଭ ହୋଇ ୧୮ ଏବଂ ୧୯ତାରିଖରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ।
ଏହିଭଳି ଭାବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଆସନ୍ତାକାଲି ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜକୁ ଛୁଇଁପାରେ । ତେବେ ସାମୁଦ୍ରିକ ଝଡ ଆଗକୁ କି ରୂପ ନେବ ତାହା ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବେ ଜଣାପଡିନାହିଁ। ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବ ରାଜ୍ୟରେ ପଡିପାରେ । ଓଡିଶାର ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଉତ୍ତର ଓଡିଶା ସାମାନ୍ୟ ପ୍ରଭାବିତ ହେବ । ଉତ୍ତର ଓଡିଶାର ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି । ବର୍ତ୍ତମାନ ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । ଫଳରେ ସ୍କୁଲ ଗୁଡିକରେ କ୍ବାରେଣ୍ଟାଇନ୍ ସେଣ୍ଟର କରାଯାଇଛି । ଏପରି ସ୍ଥିତିରେ ସ୍କୁଲଗୁଡିକରେ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇପାରିବନାହିଁ । ତେଣୁ କେଉଁ ସ୍ଥାନରେ ଆଶ୍ରୟସ୍ଥଳୀ କରାଯିବ ତାହା ଠାବ କରି ରଖିବାକୁ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି । ଦରକାର ପଡିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ରାପିଡ ରେସପନ୍ସ ଟିମ୍ ପ୍ରସ୍ତୁତ କରାଯିବ। ପାୱାର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ପବନ ବେଗ ୬୦ରୁ ୭୦ କିଲୋମିଟର ରହିବ । ଚାଷୀମାନଙ୍କୁ ମଧ୍ୟ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିଭାଗକୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତରାଜି ବିଭାଗକୁ ପିଇବା ପାଣି ପାଇଁ ବିକଳ୍ପ ବ୍ୟବସ୍ଥା କରିବା ନେଇ ଆଲୋଚନା କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡିକରେ ସମସ୍ତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ ଓ ଏନଡିଆରଫକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।