ଭାରତ ମହାସାଗରରେ ଖସିଲା ଚୀନର ଅନିୟନ୍ତ୍ରିତ ରକେଟ୍, ଆଶ୍ଵସ୍ତ ହେଲେ ଏହି ସବୁ ଦେଶ

ନୂଆଦିଲ୍ଲୀ:-ଚୀନର ଅନିୟନ୍ତ୍ରିତ ରକେଟ୍ ଶେଷରେ ବିନା କୌଣସି କ୍ଷତି ପହଞ୍ଚାଇ ଭାରତ ମହାସାଗରରେ ମାଳଦ୍ଵୀପ ନିକଟରେ ଖସି ପଡିଛି। ଏକ ସପ୍ତାହ ହେବ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଥିବା ଚୀନର ଏହି ରକେଟ୍ ଭାରତ ମହାସାଗରରେ ଖସିବା ପରେ ଅନେକ ଦେଶ ଆଶ୍ଵସ୍ତି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ଆଖପାଖ କୌଣସି ଦ୍ଵୀପରେ ଖସିବା ନେଇ ଆଶଙ୍କା କରାଯାଉଥିଲା। ଏପରିକି ଏହା କୌଣସି ସମୟରେ ପୃଥିବୀ ପୃଷ୍ଠରେ ଖସିପାରେ  ବୋଲି ବୈଜ୍ଞାନିକ କହୁଥିଲେ। ସୌଭାଗ୍ୟର କଥା ରକେଟ୍‌ର ଭଗ୍ନାବଶେଷ କାହାରି କୌଣସି କ୍ଷତି କରି ନାହିଁ। ଭାରତୀୟ ସମୟ ଅନୁସାରେ, ମେ ୯ ତାରିଖ ରବିବାର ସକାଳ ପ୍ରାୟ ୮ଟାରେ ରକେଟ୍ ଭାରତ ମହାସାଗରରେ ଖସିଥିଲା।

ଏହି ରକେଟ୍‌ର ମୁଖ୍ୟ ଅଂଶ ପ୍ରାୟ ୧୦୦ ଫୁଟ୍ ଲମ୍ବା। ଏହାର ଓଜନ ପ୍ରାୟ ୨୧ ଟନ। ଗତ ବର୍ଷ ମେରେ ଚୀନର ଅନ୍ୟ ଏକ ରକେଟ୍ ପଶ୍ଚିମ ଆଫ୍ରିକା ଓ ଆଟଲାଣ୍ଟିକ୍ ମହାସାଗରରେ ଖସି ପଡିଥିଲା। ପଶ୍ଚିମ ଆଫ୍ରିକାର ଗୋଟିଏ ଗାଁକୁ ଏହି ରକେଟ୍ ବରବାଦ କରି ଦେଇଥିଲା। ସୌଭାଗ୍ୟର କଥା ଏହି ଗାଁରେ କୌଣସି ଜନବସତି ନଥିଲା।

ଭାରତ ମହାସାଗରରେ ନିୟନ୍ତ୍ରନ ହରାଇ ଖସିଥିବା ଚୀନର ଏହି ରକେଟ୍‌ର ନାମ ଲଙ୍ଗ ମାର୍ଚ୍ଚ ୫ବି ଓ୍ଵାଇ ୨। ଏହା ଭୂପୃଷ୍ଠରୁ ୧୭୦ କିଲୋମିଟରରୁ ୩୭୨ କିଲୋମିଟର ଉଚ୍ଚତା ମଧ୍ୟରେ ପୃଥିବୀର କକ୍ଷ ପଥରେ ପରିକ୍ରମା କରୁଥିଲା ଏହାର ଘଣ୍ଟା ପ୍ରତି ବେଗ ୨୫,୪୯୦ କିଲୋମିଟର ରହିଥିଲା ଅର୍ଥାତ ସେକେଣ୍ଡ ପ୍ରତି ଗତି ୭.୨୦ କିଲୋମିଟର ରହିଥିଲା। ରକେଟ୍‌ର ମୁଖ୍ୟ ଅଂଶ ଅର୍ଥାତ କୋର୍‌ର ଉଚ୍ଚତା ୧୬ ଫୁଟ୍ ଥିଲା।

ଚୀନ ଏହି ରକେଟ୍‌ ଏପ୍ରିଲ ୨୮ରେ ନିଜର ତିୟାନହେ ସ୍ପେସ୍ ଷ୍ଟେସନ ତିଆରି ପାଇଁ ନିଜର ସବୁଠୁ ବଡ ରକେଟ୍ ଲଙ୍ଗ୍‌ ମାର୍ଚ୍ଚ ୫ବି ଜରିଆରେ ଉତ୍‌କ୍ଷେପଣ କରିଥିଲା। ଏହି ମିଶନରେ ଏକ ମାପକ ଯନ୍ତ୍ର  ସ୍ପେସ୍ ଷ୍ଟେସନକୁ ପଠାଇଥିଲା। ଏହାକୁ ନିର୍ଦ୍ଧାରିତ କକ୍ଷ ପଥରେ ଛାଡିବା ପରେ ଏହା ନିୟନ୍ତ୍ରିତ ପ୍ରକ୍ରିୟାରେ ପୃଥିବୀ ପୃଷ୍ଠକୁ ଫେରିବାର ଯୋଜନା ଥିଲା। ମାତ୍ର ଚୀନର ସ୍ପେସ୍ ଏଜେନ୍ସି ଏହା ଉପରୁ ନିୟନ୍ତ୍ରଣ ହରାଇ ସାରିଥିଲା।ପୃଥିବୀ ପୃଷ୍ଠରେ ଅଲଗା ଅଲଗା ଦେଶର ରାଡାର ଏହି ରକେଟ୍‌ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଯଦ୍ଵାରା ଏହା  କୌଣସି ଦେଶ ଉପରେ ପଡିଲେ ତା ପୂର୍ବରୁ ସୂଚନା ଦିଆଯାଇପାରିବ। ଏହାର ବଦଳୁଥିବା ଗତି ଏବଂ ଉଚ୍ଚତା କାରଣରୁ ଏହା ଜାଣିବା ମୁସ୍କିଲ ଥିଲା ଯେ, ଏହା କେବେ ଭୂପୃଷ୍ଠରେ ଖସିବ। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲେ ଏହାର ଅଧିକାଂଶ ଅଂଶ ଜୋଳିପୋଡି ଛାରଖାର ହୋଇଯିବ। ମାତ୍ର କିଛି ଅଂଶ ଜନସଂଖ୍ୟା ଇଲାକାରେ ପଡିଲେ ବଡ ଧରଣର କ୍ଷତି ଘଟିବାର ସମ୍ଭାବନା ରହିଥିଲା।ପ୍ରଥମେ ଏହାକୁ ନିୟନ୍ତ୍ରିତ କରାଯାଇ ସମୁଦ୍ରରେ ଖସାଇବାର  ଯୋଜନା ଥିଲା। ବର୍ତ୍ତମାନ ରକେଟ୍‌ର ଯାହା ଗତି ଏବଂ ମାର୍ଗ ରହିଥିଲା, ତାକୁ ଦେଖିଲେ ଲାଗୁଥିଲା ଯେ ଏହା ଉତ୍ତର ଗୋଲାର୍ଦ୍ଧରେ ସ୍ଥିତ ନ୍ୟୁୟର୍କ, ମାଦ୍ରିଦ ଓ ବେଜିଂର ଆଖପାଖ ଅଞ୍ଚଳରେ ଖସିପାରେ। କିମ୍ବା ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥିତ ଦକ୍ଷିଣ ଚିଲି ଓ ନ୍ୟୁଜିଲାଣ୍ଡର ରାଜଧାନୀ ଓ୍ଵେଲିଂଟନ୍‌ର ଆଖପାଖ ଅଞ୍ଚଳରେ ଖସିପାରେ। ତେବେ ଏହି ରକେଟ୍ ଭାରତ ମହାସାଗରରେ ଖସିବା ପରେ ଉପରୋକ୍ତ ଦେଶଗୁଡିକ ଆଶ୍ଵସ୍ତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *