ଖୁବଶୀଘ୍ର ଆମେରିକା ଓ ୟୁରୋପ ଭଳି ଭାରତୀୟ ଉପଗ୍ରହ ଦେବ ବଜ୍ରପାତ ସମ୍ପର୍କରେ ସୂଚନା
ନୂଆଦିଲ୍ଲୀ,:- ଖୁବଶୀଘ୍ର ଆମେରିକା ଓ ୟୁରୋପ ଭଳି ଭାରତରେ ବି ଉପଗ୍ରହ ଦ୍ୱାରା ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ମିଳିପାରିବ ଏବଂ ଏହାଯୋଗୁ ବହୁ ଜୀବନ ରକ୍ଷା କରାଯାଇପାରିବ । ଭାରତ ସରକାର ଏଥିପାଇଁ ଇସ୍ରୋ ସହିତ ଯୋଗାଯୋଗ କରିଛନ୍ତି । ସରକାର ନିବେଦନ କରିଛନ୍ତି ଯେ ଭାରତର ଭୂସ୍ଥିର ଉପଗ୍ରହରେ ବଜ୍ରପାତ ସତର୍କ ପ୍ରଣାଳୀ ସଂଯୁକ୍ତ କରାଯାଉ । ଇସ୍ରୋ ନୀତିଗତ ଭାବେ ଏଥିପାଇଁ ରାଜି ହୋଇଛି । କାଳବୈଶାଖୀ ଏବଂ ବଜ୍ରପାତ ଉପରେ ଆୟୋଜିତ ଏକ ୱେବିନାରରେ ଭାଗ ନେଇ କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ ରାଜୀବନ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଭାରତର କେତେକ ପୋଲାର ସାଟେଲାଇଟ( ଧ୍ରୁବୀୟ ଉପଗ୍ରହ)ରେ ବି ବଜ୍ରପାତ ସମ୍ପର୍କରେ ସୂଚନା ଦେବା ପାଇଁ କିଛି ଉପକରଣ ଖଞ୍ଜା ଯାଇଛି । ମାତ୍ର ଏହି ଉପଗ୍ରହଗୁଡିକ ଜରିଆରେ ଗୋଟିଏ ସ୍ଥାନ ଉପରେ ଦୀର୍ଘ ସମୟ ଯାଏଁ ନିରୀକ୍ଷଣ କରିବା ସମ୍ଭବ ହେଉନଥିବାରୁ ଏଥିରୁ ସେତେ ଫାଇଦା ମିଳୁନାହିଁ । ମାତ୍ର ପୃଥିବୀ ପୃଷ୍ଠରୁ ୩୬,୦୦୦ କିମି ଉପରେ ଅବସ୍ଥାପିତ କରାଯାଉଥିବା ଭୂସ୍ଥିର ଉପଗ୍ରହଗୁଡିକ ଜରିଆରେ ଗୋଟିଏ ସ୍ଥାନରେ କ୍ରମାଗତଃ ଭାବେ ଅଧିକ ସମୟ ଯାଏଁ ନିରୀକ୍ଷଣ କରିବା ସମ୍ଭବପର । ତେଣୁ ଏଭଳି ଉପଗ୍ରହରେ ବଜ୍ରପାତ ସତର୍କ ପ୍ରଣାଳୀ ସଂଯୁକ୍ତ କରିବା ପାଇଁ ମନ୍ତ୍ରଣାଳୟ ଇସ୍ରୋକୁ ନିବେଦନ କରିଛି । ଯଦି ସବୁକିଛି ଠିକ୍ ଚାଲେ, ତାହାହେଲେ ମାତ୍ର ବର୍ଷକ ଭିତରେ ଭାରତ ପାଖରେ ଏଭଳି ଉପଗ୍ରହ ଉପଲବ୍ଧ ହୋଇଯିବ ।
ଏହା ଉପରେ ପ୍ରତିକ୍ରିୟା ଦେଇ ଇସ୍ରୋର ଅଧ୍ୟକ୍ଷ କେ ଶିବନ କହିଛନ୍ତି ଯେ ପୂର୍ବରୁ ଇନସାଟ ୩ଡି ଏବଂ ଇନସାଟ ୩ଡିଆର ଶ୍ରେଣୀର ଉପଗ୍ରହରେ ବଜ୍ରପାତ ଉପରେ ନିରୀକ୍ଷଣ କରିବା ପାଇଁ ଏକ ସଫ୍ଟୱେର ଖଞ୍ଜାଯାଇଥିଲା । ମାତ୍ର ଇନସାଟ୍ -୪ ଶ୍ରେଣୀର ଉପଗ୍ରହରେ ସରକାରଙ୍କ ନିବେଦନ ମୁତାବକ ବଜ୍ରପାତ ସତର୍କ ପ୍ରଣାଳୀ ସଂଯୁକ୍ତ କରାଯିବ ।