୧୯୯୯ ପରେ ବଙ୍ଗୋପସାଗରରେ ଦ୍ୱିତୀୟ ମହାବାତ୍ୟା ‘ଅମ୍ପନ

ଭୁବନେଶ୍ୱର: ୧୮୯୧ ପରଠୁ ଏପର୍ଯ୍ୟନ୍ତ ଯେତିକି ବାତ୍ୟା ହୋଇଛି, ତାହା ମଧ୍ୟରେ ୧୯୯୯ ମହାବାତ୍ୟା ସବୁଠୁ ବଡ଼। ସେହିପରି ୨୦୦୬ରେ ବାତ୍ୟା ଅଗ୍ନି ସବୁଠୁ ଛୋଟ। ୯୯ର ମହାବାତ୍ୟା ପରେ ଅମ୍ପନ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି।ଗତ ୩ ଦଶନ୍ଧି ଧରି ବିଭିନ୍ନ ବାତ୍ୟାକୁ ନେଇ ଅଧିକ ତଥ୍ୟ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ ୧୮୯୧ରୁ ଏଯାଏ ଯେତିକି ବାତ୍ୟା ହୋଇଛି ୯୯ ସବୁଠୁ ବଡ଼। ୧୯୯୯ ମହାବାତ୍ୟା ୩୦ ଘଣ୍ଟା କାଳ ତାଣ୍ଡବ ରଚାଇଥିଲା। ୨୦୦୬ରେ ତାମିଲନାଡୁ ହିଟ କରିଥିବା ବାତ୍ୟା ଅଗ୍ନି ସବୁଠୁ ଛୋଟ। ସେହିପରି ୧୯୯୯ ପରେ ଅମ୍ପନ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟା ବୋଲି ସେ କହିଥିଲେ।ଅମ୍ପନ ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ସୂଚନା ଦେଇ କହିଛନ୍ତି ଯେ, ଅମ୍ପନ ସମୁଦ୍ରରେ ହିଁ ମହାବାତ୍ୟାର ଶକ୍ତି ହ୍ରାସ ପାଇବ। ଭେରି ସିଭିୟର ସାଇକ୍ଲୋନ୍ ରୂପରେ ସ୍ଥଳଭାଗ ଛୁଇଁବ ଏହି ବାତ୍ୟା। ଓଡ଼ିଶାରେ ମାଡ଼ ହେବନି, ବରଂ ଓଡ଼ିଶା ଉପକୂଳ ଦେଇ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଥିବା ସୁନ୍ଦରବନ ପାଖାପାଖି ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ମହାବାତ୍ୟା।

ଏହି ସମୟରେ ସମୁଦ୍ର ଭିତରେ ପବନର ବେଗ ଏବେ ଘଣ୍ଟାପ୍ରତି ୨୩୦ରୁ ୨୪୦ କିଲୋମିଟର ଥିବା ବେଳେ ଲ୍ୟାଣ୍ଡଫଲ୍ ସମୟରେ ବେଗ ୧୬୫ରୁ ୧୭୫ କିଲୋମିଟର ଏବଂ ସ୍ଥଳବିଶେଷରେ ଘଣ୍ଟାକୁ ୧୮୫ କିମି ରହିବ। ତେଣୁ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରଭାବ ରହିବ।

ଏହା ପ୍ରଭାବରେ ଆଜିଠୁ ଉତ୍ତର ଓଡ଼ିଶା ଉପକୂଳରେ ୫୫ରୁ ୬୫ କିମି ବେଗରେ ପବନ ବହିବ। ଆସନ୍ତାକାଲି ସକାଳୁ ପବନର ବେଗ ୭୫ କିମିରୁ ଅଧିକ ରହିବ ଏବଂ ୨୦ ତାରିଖରେ ପବନର ବେଗ ୧୧୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ ବୋଲି ଆଇଏମଡି ଡିଜି ପୂର୍ବାନୁମାନ କରିଛନ୍ତି।

Leave a Reply

Your email address will not be published. Required fields are marked *