ଅନଲକ୍‌-୨: ଜୁଲାଇ ୧ ତାରଖରୁ ଏହି ନିୟମ ହେବ କଡାକଡି, ୧୦ ଜିଲ୍ଲାରେ ଏହିଦିନ ମାନଙ୍କରେ ସଟ୍‌ଡାଉନ୍‌

ଭୁବନେଶ୍ୱର – ଜୁଲାଇ ୧ ତାରିଖରୁ ଅନଲକ୍‌-୨ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କର  ମାର୍ଗଦର୍ଶିକା ଅନୁସାରେ ରାଜ୍ୟସରକାର ବିଭଇନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ  ନିମ୍ନ ଲିଖିତ ପଦକ୍ଷେପକୁ କଡାକଡି ଭାବେ ଲାଗୁ କରାଯିବ ।

–           ସମସ୍ତ ସ୍କୁଲ, କଲେଜ, ତାଲିମ ଅନୁଷ୍ଠାନ, କୋଚିଂ ଅନୁଷ୍ଠାନ ଆଦି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଏସବୁ ସମ୍ବନ୍ଧିତ ପରୀକ୍ଷା ଓ ମୂଲ୍ୟାୟନ ଆଦିକୁ ଅନୁମତି ଦିଆଯିବ ।

–           ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ।

–           ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଆଦି ୧୦ଟି ଜିଲ୍ଲାକୁ ଜୋନ୍‌-୧ ଭାବେ ଘୋଷଣା କରାଯାଇଛି । ଏହି ୧୦ଟି ଜିଲ୍ଲାରେ ଶନିବାର ଏବଂ ରବିବାର ସଟ୍‌ ଡାଉନ୍‌ ଜାରି ରହିବ । ସ୍ଥାନୀୟ ପ୍ରଶାସନ ଆବଶ୍ୟକତା ଅନୁସାରେ ଏହି ଜିଲ୍ଲାଗୁଡ଼ିକରେ କଟକଣା ଜାରି କରି ପାରିବେ । ଅବଶିଷ୍ଟ ୨୦ଟି ଜିଲ୍ଲାରେ ରାତି୍ରକାଳୀନ କର୍ଫ୍ୟୁ ସମୟ ବ୍ୟତୀତ ଅନୁମତିପ୍ରାପ୍ତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଜାରି ରହିବ ।

–           କେତୋଟି ପଞ୍ଚାୟତକୁ ନେଇ ଗଠିତ କ୍ଲଷ୍ଟରରେ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ କାର୍ଯ୍ୟ କରିବ । ଏହା ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଭାବେ କାମ କରିବ ।

–           ପ୍ରତି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଅଡିଟ୍‌ ହେବ । ଅଫିସରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବାକୁ କଡ଼ାକଡ଼ି ଲାଗୁ କରିବା ଅଫିସ୍‌ ମୁଖ୍ୟଙ୍କ ଦାୟିତ୍ୱ ହେବ ।

–           ସର୍ବସାଧାରଣ ସ୍ଥାନମାନଙ୍କରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ଛେପ ନ ପକାଇବାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ।

–           ସମସ୍ତ ଘରୋଇ ହସ୍‌ପିଟାଲ୍‌ମାନେ କୋଭିଡ୍‌ ଏସ.ଓ.ପି କଡ଼ାକଡ଼ି ଭାବେ ପାଳନ କରିବେ ।

–           ରାଜ୍ୟ ବାହାରୁ ବହୁଳ ସଂକ୍ରମିତ ସ୍ଥାନରୁ ଲୋକମାନଙ୍କର ଆଗମନକୁ ନିୟନ୍ତ୍ରଣ ଓ ନିରୀକ୍ଷଣ  କରାଯିବ ।

–           ଜିଲ୍ଲାପାଳ ଓ ପୌରାଞ୍ଚଳ କମିଶନରମାନେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟାମକ ଅନୁସାରେ କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିବେ ।

–           କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିବ । ଏହି ଅଞ୍ଚଳରେ ଘରକୁ ଘର ନିରୀକ୍ଷଣକୁ ବ୍ୟାପକ କରାଯିବ ।

–           କଣ୍ଟେନମେଣ୍ଟ ଜୋନ ବାହାରେ ସ୍ଥିତିକୁ ଦେଖି ଜିଲ୍ଲାପାଳ/ମୁନିସିପାଲ କମିଶନରମାନେ ସପିଂ ମଲ୍‌ ଖୋଲିବା ସଂପର୍କରେ ନିଷ୍ପତ୍ତି ନେଇପାରିବେ ।

–           ବିଭିନ୍ନ ଜିଲ୍ଲା ଓ ସହରାଞ୍ଚଳର ସ୍ଥିତି ଅନୁସାରେ ସଂପୃକ୍ତ ଜିଲ୍ଲାପାଳ ବା ପୌର କମିଶନର ଆବଶ୍ୟକୀୟ କଟକଣା ଜାରି କରିପାରିବେ ।

– ଜୁଲାଇ ମାସରେ ପ୍ରତ୍ୟେକ ସ୍ଥାନରେ (ଅଫିସ୍‌/ହସ୍‌ପିଟାଲ୍‌/ମାର୍କେଟ୍‌ କମ୍ପ୍ଲେକ୍ସ/ଦୋକାନ) ଅତର୍କିତ ଯାଞ୍ଚକୁ ଜୋରଦାର କରାଯିବ ।

Leave a Reply

Your email address will not be published. Required fields are marked *