ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ପଛରେ ମୋବାଇଲ ଫୋନ୍ ! ମୋବାଇଲ୍‌ରେ ଗପିବା ହେଲା କାଳ

ଭୁବନେଶ୍ୱର:-ମୋବାଇଲ୍‌ରେ ଗପିବା ହେଲା କାଳ। ବିସ୍ଫୋରଣ ପୂର୍ବରୁ ପେଟ୍ରୋଲ ପମ୍ପର ଏଲ୍‌ପିଜି ଟ୍ୟାଙ୍କ ପାଖରେ ୩ଜଣ ଓ ଟିକିଏ ଦୂରରେ ଆଉ ଜଣେ ଥିଲେ । ଟ୍ୟାଙ୍କ ପାଖରେ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ମୋବାଇଲ୍‌ ଫୋନରେ ଗପୁଥିଲେ। ଏହି ସମୟରେ ହିଁ ଅଚାନକ ନିଆଁ ଲାଗିଲା । କେହି କିଛି ବୁଝିବା ଆଗରୁ ହେଲା ପ୍ରଚଣ୍ଡ ବିସ୍ଫୋରଣ। ରାଜଭବନ ପେଟ୍ରୋଲ ପମ୍ପ ସିସିଟିଭି ଫୁଟେଜରୁ ଏମିତି ଚାଞ୍ଚଲ୍ୟକର ତଥ୍ୟ ଲାଗିଛି ପୁଲିସ ହାତରେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପେଟ୍ରୋଲ ପମ୍ପର ଦୁଇଟି ଯାକ ଭୂତଳ ଏଲପିଜି ଟ୍ୟାଙ୍କ ଟେଷ୍ଟିଂ କାମ ସରିଯାଇଥିଲା। ଗୋଟିଏ ଟ୍ୟାଙ୍କ ଖାଲିଥିଲା। ଆଉ ଗୋଟିଏରେ ଏଲପିଜି ଗ୍ୟାସ୍‌ ଭର୍ତ୍ତିଥିଲା। ଭର୍ତ୍ତିଥିବା ଟ୍ୟାଙ୍କରୁ ଖାଲି ଟ୍ୟାଙ୍କକୁ ଏଲ୍‌ପିଜି ଗ୍ୟାସ ପଠାଇବା ପାଇଁ ଦୁଇଟି ଯାକ ଟ୍ୟାଙ୍କକୁ ସଂଯୋଗ କରୁଥିବା ଭାଲ୍‌ବ ଖୋଲାଯାଇଥିଲା। ଏତିକିବେଳେ କୌଣସି କାରଣରୁ ଏଲପିଜି ଗ୍ୟାସ ଲିକ୍‌ କରିଥାଇପାରେ। ଆଉ ଏହି ଗ୍ୟାସ୍‌କୁ ସ୍ପାର୍କ ଯୋଗାଇଥିଲା ମୋବାଇଲ୍‌। ଗ୍ୟାସ୍‌ ଟ୍ୟାଙ୍କ କାମରେ ନିୟୋଜିତ ଜଣେ କର୍ମଚାରୀ ମୋବାଇଲ୍‌ ଫୋନ୍‌ରେ କଥା ହେଉଥିଲେ। ଏଥିଯୋଗୁ ଏଲପିଜି ଗ୍ୟାସ୍‌ ଲିକ୍‌ ହେବା ପରେ ନିଆଁ ଧରିଥିଲା। ନିଆଁର ବିଶାଳକାୟ ସ୍ତମ୍ଭ ଉପରକୁ ଉଠିବା ସହ ଉତ୍ତପ୍ତ ହେବାରୁ ଭର୍ତ୍ତିଥିବା ଏଲପିଜି ଟ୍ୟାଙ୍କ ବିସ୍ଫୋରଣ କରିଥିଲା। ଯେଉଁଥିପାଇଁ ଏଭଳି ଅଘଟଣ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ବିଶେଷଜ୍ଞଙ୍କ କହିବାନୁଯାୟୀ ମୋବାଇଲ୍‌ ବିପଦ ନୁହେଁ। କିନ୍ତୁ ପେଟ୍ରୋଲ ପମ୍ପ କିମ୍ବା ଗ୍ୟାସ୍‌ ଲିକ୍‌ ସମୟରେ ମୋବାଇଲ୍‌ରେ କଥା ହେବା କିମ୍ବା ଫୋନ୍‌ ରିସିଭ୍‌ କରିବା ବିପଦଜନକ। ଏହା ଲିକ୍‌ ହେଉଥିବା ଗ୍ୟାସକୁ ସ୍ପାର୍କ ଭଳି ନିଆଁ ଯୋଗାଇଥାଏ। ସମ୍ଭବତଃ ଏହି ଘଟଣାରେ ସେମିତି କିଛି ହୋଇଛି। ଅନ୍ୟପକ୍ଷରେ ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପ ଓ ଆଖପାଖ ଅଞ୍ଚଳରୁ ମିଳିଥିବା ପୁଳା ପୁଳା ଖଣ୍ଡବିଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗ ଫୋରେନ୍ସିକ୍‌ ଲାବ୍‌ରେ ରଖାଯାଇଛି। ବିସ୍ଫୋରଣରେ ନିଖୋଜ ବ୍ୟକ୍ତି ବିଶେଷଙ୍କ ଚିହ୍ନଟ ପାଇଁ ଏହାର ଖୁବ୍‌ଶୀଘ୍ର ଡିଏନ୍‌ଏ ଟେଷ୍ଟ କରାଯିବ। ଏ ନେଇ ଅଦାଲତରେ ଆବେଦନ କରାଯିବ ବୋଲି କମିଶନରେଟ୍‌ ପୁଲିସ ସୂଚନା ଦେଇଛି।

ଖଣ୍ଡ ବିଖଣ୍ଡିତ ମାଂସ ଓ ହାଡ଼ଗୁଡି଼କ ମଣିଷ ନା କୌଣସି ପଶୁର ତାହା ଜାଣିବାକୁ ଆଜି ଏହାର ପୋଷ୍ଟମର୍ଟମ୍‌ କରାଯାଇଛି। ପେଟ୍ରୋଲ ପମ୍ପରୁ ଜବତ ସିସି କ୍ୟାମେରା ହାର୍ଡଡିସ୍କରୁ ଫୁଟେଜ୍‌କୁ ପୁଲିସ ତନ୍ନତନ୍ନ କରି ଯାଞ୍ଚ କରୁଛି ।
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଫୋରେନ୍ସିକ୍‌ ଟିମ୍‌ ଓ କ୍ୟାପିଟାଲ ଥାନାକୁ ନେଇ ଗଢ଼ାଯାଇଥିବା ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ତଦନ୍ତ ଚଳାଇଛନ୍ତି ।

ପୁଲିସ କହିଛି, ବିସ୍ଫୋରଣସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଓ ହାଡ଼ର ଡିଏନ୍‌ଏ ଟେଷ୍ଟ ହେବ। ଏଥିପାଇଁ ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ପରିବାର ଲୋକଙ୍କ ନମୁନା ଆଣିବାକୁ ପଡ଼ିବ। ଟେଷ୍ଟିଂ ପାଇଁ ସମ୍ପୃକ୍ତ ପରିବାର ସଦସ୍ୟଙ୍କ ସହମତି ଦରକାର। ବିସ୍ଫୋରଣରୁ ମିଳିଥିବା ମାଂସ ଖଣ୍ଡର ଡିଏନ୍‌ଏ ଟେଷ୍ଟ କରି ପରିବାର ଲୋକଙ୍କ ନମୁନା ସହ ତୁଳନା କରାଯିବ।

Leave a Reply

Your email address will not be published. Required fields are marked *