ବ୍ୟାନ୍ ପରେ ବି ଚାଲୁଛି ଟିକ୍ଟକ୍ : ଭିଡିଓ କରି ପୋଷ୍ଟ୍ କରୁଛନ୍ତି ହଜାର ହଜାର ୟୁଜର୍,
କଟକ,:-ବିବାଦୀୟ ଆପ୍ ‘ଟିକ୍ଟକ୍’ ଏବେ ବି ଚାଲୁଛି । ଭିଡିଓ ଅପ୍ଲୋଡ୍ ଓ ଡାଉନ୍ଲୋଡ୍ ହେଉଛି । ଲାଇକ୍, ସେୟାର୍ ଓ ଭ୍ୟୁଜ୍ ବି ଦେଉଛି । ସବୁକିଛି ସ୍ୱାଭାବିକ ଢଙ୍ଗରେ । କିଛି ସମସ୍ୟା ନାହିଁ । ପୂର୍ବଭଳି ନିଜ ଆକାଉଣ୍ଟ୍କୁ ନିଦ୍ୱର୍ନ୍ଦ୍ୱରେ, ନିଧଡ଼କ ଭାବେ ଚଳାଇଛନ୍ତି ହଜାର ହଜାର ୟୁଜର୍ସ । ଚାଇନିଜ୍ ଆପ୍ ଟିକ୍ଟକ୍କୁ ବ୍ୟାନ୍ କରାଯିବାର ୬ଦିନ ବିତିଥିଲେ ବି ଏହାକୁ ଚଳାଇବାର ସ୍ୱତନ୍ତ୍ର ଗଳାବାଟ ଖୋଜି ବ୍ୟବହାର କରିଛନ୍ତି କିଛି ଯୁବ ୟୁଜର୍ସ । ପ୍ରଶ୍ନ ଉଠୁଛି, ଏହା କେମିତି ସମ୍ଭବ ହେଉଛି? ଯେତେବେଳେ ଖୋଦ୍ କେନ୍ଦ୍ର ସରକାର ଟିକ୍ଟକ୍ ସମେତ ମୋଟ୍ ୫୯ଟି ଆପ୍କୁ ବ୍ୟାନ୍ କଲେ, ତା’ପରେ ବି ଟିକ୍ଟକ୍ ଆପ୍ ଚାଲୁଛି କେମିତି? ଯଦି ଏତେ ସହଜରେ ଗଳାବାଟ ମିଳିଯାଉଛି ତେବେ କେତେ ସୁରକ୍ଷିତ ଆମ ଦେଶର ଆଇଟି ନେଟ୍ୱର୍କ? କେତେ ଅପାରଗ ଆମ ପ୍ରଯୁକ୍ତିବିଦ୍ୟା?
କଟକ ସହରରେ କିଛି ଟିକ୍ଟକ୍ ୟୁଜର୍ସଙ୍କ ନୂଆ ଭିଡିଓ ଦେଖିବାକୁ ମିଳିବା ପରେ ‘ପ୍ରମେୟ’ ତରଫରୁ ସ୍ୱତନ୍ତ୍ର ଅନୁସନ୍ଧାନ କରାଯାଇଥିଲା । କେମିତି ବ୍ୟବହାର ହେଉଛି ବ୍ୟାନ୍ ହୋଇଥିବା ଏହି ଆପ୍, ସେ ସଂକ୍ରାନ୍ତରେ କିଛି ୟୁଜର୍ସଙ୍କ ଠାରୁ ସୂଚନା ନିଆଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି, ଏକ ନିର୍ଦ୍ଦିଷ୍ଟ ଲିଂକ୍ ହ୍ୱାଟସ୍ଆପ୍ ଓ ଫେସ୍ବୁକ୍ ଚାଟ୍ରେ ସେୟାର୍ କରାଯାଉଛି । ପ୍ରାୟ ୯୫ ଏମ୍ବିର ଏହି ଲିଂକ୍କୁ ପାଇବା ପରେ ତାକୁ ଡାଉନ୍ଲୋଡ୍ କରିବାକୁ ପଡୁଛି । ଡାଉନ୍ଲୋଡ୍ ହେବା ପରେ ସେଥିରେ ୟୁଜର୍ସଙ୍କ ଫୋନ୍ ନମ୍ବର ମଗାଯାଉଛି । ଫୋନ୍ ନମ୍ବର ଦେବାମାତ୍ରେ ମୋବାଇଲ୍କୁ ଆସୁଛି ଏକ ୪ ସଂଖ୍ୟା ବିଶିଷ୍ଟ୍ ପାସ୍ୱାର୍ଡ । ପାସ୍ୱାର୍ଡ ଦେବା ମାତ୍ରେ କିଛି ସେକେଣ୍ଡ୍ର ବ୍ୟବଧାନରେ ଖୋଲିଯାଉଛି ପୁରୁଣା ଆକାଉଣ୍ଟ । ପୂର୍ବ ଆକାଉଣ୍ଟକୁ ନିଧଡ଼କ ବ୍ୟବହାର କରୁଛନ୍ତି ୟୁଜର୍ସ । ପୂର୍ବରୁ ଆକାଉଣ୍ଟରେ ଥିବା ସମସ୍ତ ଭିଡିଓ ସହଜରେ ମିଳିଯାଉଛି । ଗତ ୨୪ଘଣ୍ଟା ଭିତରେ କିଛି ୟୁଜର୍ସ ଏହାକୁ ବ୍ୟବହାର କରି ନୂଆ ଭିଡ଼ିଓ ମଧ୍ୟ ପୋଷ୍ଟ୍ କରିଛନ୍ତି । ବେଶ୍ ଦ୍ରୁତ ଗତିରେ ଏହି ଲିଂକ୍ ସେୟାର୍ ହେଉଥିବା ବେଳେ ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ହୋଇପଡିଛି।
ପ୍ରଶ୍ନ ଉଠୁଛି, ଏ ଲିଂକ୍ ଆସିଛି କେଉଁଠୁ? ଲିଂକ୍କୁ କ୍ଲିକ୍ କରିବା ମାତ୍ରେ ଆମେରିକା ଜାତୀୟ ପତାକାର ଏକ ଛବି ମୋବାଇଲ୍ ସ୍କ୍ରିନ୍ର ଉପରି ଭାଗରେ ଦେଖିବାକୁ ମିଳୁଛି । ତା’ତଳେ ୟୁଜର୍ସଙ୍କୁ ଫୋନ୍ ନମ୍ବର ମଗାଯାଉଛି । ତେବେ ଯାହା ଜଣାପଡିଛି, ଭାରତ ବାହାରୁ ଏହି ଲିଂକ୍ଟି ଆସିଛି । ଭାରତରେ ଟିକ୍ଟକ୍ ବ୍ୟାନ୍ ହେବା ପରେ ପ୍ଲେଷ୍ଟୋର୍ରୁ ଟିକ୍ଟକ୍କୁ କାଟି ଦିଆଯାଇଛି ଏବଂ ଭାରତରେ ଥିବା ସବୁ ସର୍ଭର ଲିଂକ୍କୁ ବିଚ୍ଛିନ୍ନ କରାଯାଇଛି । କିନ୍ତୁ ଭାରତ ବାହାରୁ ପ୍ରବାସୀ ଲିଂକ୍ରେ ବେଶ୍ ସହଜରେ ଟିକ୍ଟକ୍ ଖୋଲିଯାଉଛି । ଏ ସଂକ୍ରାନ୍ତରେ କିଛି ସାଇବର୍ ଏକ୍ସପର୍ଟଙ୍କ ମତାମତ ନେବାରୁ ଜଣାପଡିଛି ଯେ, ଏହି ଲିଂକ୍ ବେଶ୍ ବିପଦପୂର୍ଣ୍ଣ । ଏହାଦ୍ୱାରା ୟୁଜର୍ସଙ୍କ ସମସ୍ତ ଡାଟା ଚୋରି ହୋଇଯାଇପାରେ । ଏ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ସ୍କୁଲ୍ ଅଫ୍ ଇନ୍ଫର୍ମେସନ୍ ଆଣ୍ଡ୍ କମ୍ପ୍ୟୁଟର୍ ସାଇନ୍ସ ଡିନ୍ ଡ. ପ୍ରିୟଦର୍ଶୀ ତ୍ରିପାଠୀ କହିଛନ୍ତି, ଯଦି ଏହା ସତ ହୋଇଥାଏ ତେବେ ଭୟଙ୍କର ।