‘ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ
ଭୁବନେଶ୍ୱର:–ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ନିମନ୍ତେ ରାଜ୍ୟ ସରକାର ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା ପରେ ପୁରୀ ଶ୍ରୀମନ୍ଦିର ଢାଂଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ ଆସିବ ବୋଲି କହିଛନ୍ତି।ସୂଚନା ଅନୁସାରେ, ଏହି ଆଇନରେ ଲିଙ୍ଗରାଜ ମନ୍ଦିର ଓ ଏହାର ନୀତିକାନ୍ତି ସହ ଜଡ଼ିତ ସମସ୍ତ ମନ୍ଦିରର ପରିଚାଳନା ଦାୟିତ୍ୱ ୧୫ଜଣିଆ ପରିଚାଳନା କମିଟି ପାଖରେ ରହିବ। ଏହି ନୂଆ ଆଇନ କାର୍ଯ୍ୟକ୍ଷମ ହେଲେ ଲିଙ୍ଗରାଜ ମନ୍ଦିର ନିମନ୍ତେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ-୧୯୫୧ ଅକାମୀ ହୋଇଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ପ୍ରସ୍ତାବିତ ଆଇନ ଅନ୍ତର୍ଗତ ରାଜ୍ୟ ସରକାର, ପରିଚାଳନା କମିଟି ଓ ମନ୍ଦିର ପ୍ରଶାସକଙ୍କ ଯେକୌଣସି କାର୍ଯ୍ୟକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ। ପରିଚାଳନା କମିଟି ମାଧ୍ୟମରେ ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ଜଣାପଡ଼ିଛି। ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ଏହାର ନୀତିକାନ୍ତି ସହ ଜଡ଼ିତ ସମସ୍ତ ମନ୍ଦିରର ପରିଚାଳନା ନିମନ୍ତେ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ-୨୦୨୦ର ଚିଠା ବିଲ୍ ଉପରେ ରାଜ୍ୟ ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିସ୍ତୃତ ଆଲୋଚନା ମଧ୍ୟ ସରିଛି। ଭଗବାନ ଶିବ ଓ ବିଷ୍ଣୁଙ୍କ ମିଳିତ ରୂପ ହରିହରଙ୍କ ପ୍ରାଚୀନ ମନ୍ଦିର ମଧ୍ୟରେ ଲିଙ୍ଗରାଜ ମନ୍ଦିରର ଅନ୍ୟତମ। ଲିଙ୍ଗରାଜ ମନ୍ଦିରର ଧାର୍ମିକ ମହତ୍ତ୍ୱ, କଳାଐତିହ୍ୟ ଓ ଦେଶର ବିଭିନ୍ନ ଭାଗରୁ ଶ୍ରଦ୍ଧାଳୁମାନେ ଆସୁଥିବାରୁ ଏହି ପ୍ରାଚୀନ ମନ୍ଦିରର ସେବାପୂଜା, ନୀତିକାନ୍ତି, ସମ୍ପତ୍ତିର ରକ୍ଷଣାବେକ୍ଷଣ, ଭିତ୍ତିଭୂମି ବିକାଶ ଓ ନିରାପତ୍ତା ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ପରିଚାଳନା କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲିଙ୍ଗରାଜ ମନ୍ଦିରର ପରିଚାଳନା ନିମନ୍ତେ ଏହି ଆଇନରେ ୧୫ଜଣିଆ ପରିଚାଳନା କମିଟି ଗଠନ କରାଯିବ, ଯେକି ମନ୍ଦିରର ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ, ଉପାର୍ଜନ, ନୀତିକାନ୍ତି, ସେବାୟତଙ୍କ କଲ୍ୟାଣ ସହ ସବୁ ନିଷ୍ପତ୍ତି ନେବାକୁ କ୍ଷମତାପ୍ରାପ୍ତ ରହିବ। ତେବେ ମନ୍ଦିରର କୌଣସି ସମ୍ପତ୍ତିକୁ ବିକ୍ରି କରିବା ଓ ୫ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଲିଜ୍ ଦେବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।